ମୁମ୍ଵାଇ ୨୪।୦୪; ପୂରା ଦେଶକୁ ସ୍ତବ୍ଧ କରିଦେଇଛି ପହଲଗାମରେ ଆତଙ୍କବାଦୀ ଆକ୍ରମଣ । ୨୭ ନିରୀହଙ୍କ ଜୀବନ ନେଇ ରକ୍ତର ହୋଲି ଖେଳିଥିବା ଆତଙ୍କୀଙ୍କୁ ‘ଯେସାକୁ ତେସା’ ନୀତିରେ ଜବାବ ଦେବାକୁ ଦେଶବ୍ୟାପୀ ଦାବି ଉଠିଛି । ଏହା ଭିତରେ ଏହି ବର୍ବର କାଣ୍ଡକୁ କଡ଼ା ନିନ୍ଦା କରି ମୃତକଙ୍କ ପାଇଁ ଶୋକବ୍ୟକ୍ତ କରିଛନ୍ତି ବଲିଉଡ୍ ତାରକା । ଅଭିନେତା ଶାହରୁଖ ଖାନ୍ କହିଛନ୍ତି, ‘ପହଲଗାମ୍ରେ ହୋଇଥିବା ହିଂସା ଅମାନବୀୟ । ଏଥିପାଇଁ ହେଉଥିବା ଦୁଃଖ, ଆକ୍ରୋଶକୁ ଶବ୍ଦରେ କୁହାଯାଇପାରିବ ନାହିଁ । ଏପରି ସମୟରେ ଆମେ କେବଳ ଈଶ୍ୱରଙ୍କ ଆଡ଼କୁ ଚାହିଁ ପୀଡ଼ିତ ପରିବାର ପାଇଁ ପ୍ରାର୍ଥନା କରିପାରିବା ।’
ଅଭିନେତା ସଲମାନ୍ ଖାନ୍ କହିଛନ୍ତି, ‘ପୃଥିବୀର ଭୂସ୍ୱର୍ଗ ନର୍କ ପାଲଟିବାରେ ଲାଗିଛି । ନିରୀହ ଲୋକଙ୍କୁ ଟାର୍ଗେଟ କରାଯାଉଛି । ମୃତକଙ୍କ ପରିବାର ପାଇଁ ମୋ ହୃଦୟ ଦୁଃଖରେ ଭରିଯାଉଛି । ଜଣେ ବି ନିରୀହଙ୍କୁ ହତ୍ୟା କରିବା ପୂରା ରାଷ୍ଟ୍ରର ହତ୍ୟା ସହ ସମାନ ।’ ସଞ୍ଜୟ ଦତ୍ତ ଏକ୍ସ ପୋଷ୍ଟରେ ଲେଖିଛନ୍ତି, ‘ସେମାନେ ଆମ ନିରୀହ ଲୋକଙ୍କୁ ହତ୍ୟା କରିଛନ୍ତି । ଏହାକୁ ଭୁଲିବା କଥା ନୁହେଁ । ଏହି ଆତଙ୍କୀ ଜାଣିବା ଦରକାର ଯେ ଆମେ ଚୁପ୍ ବସିବୁନି । ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନିବେଦନ ଯେ ଜବାବରେ ଆତଙ୍କବାଦୀ ଯାହା ପାଇବା ଦରକାର ସେମାନଙ୍କୁ ସେଭଳି ଜବାବ ମିଳୁ ।’
ଅଭିନେତ୍ରୀ ଆଲିଆ ଭଟ୍ଟ କହିଛନ୍ତି, ‘ନିର୍ଦ୍ଦୋଷ ଲୋକଙ୍କ ଜୀବନ ଚାଲିଗଲା । ସୁନ୍ଦରତା, ଶାନ୍ତିର ଅନ୍ୱେଷଣରେ ଯାଇଥିବା ପର୍ଯ୍ୟଟକଙ୍କୁ ହତ୍ୟା କରାଯାଇଛି । ଏହା ଅତ୍ୟନ୍ତ ଦୁଃଖଦ ।’ ପ୍ରିୟଙ୍କା ଚୋପ୍ରା ଇନ୍ଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ‘ଅନେକ ନିରୀହ ଜୀବନ ଏପରି ଝଡ଼ରେ ଫସିଯାଇଛି ଯାହାକି ସେମାନେ କେବେ କଳ୍ପନା କରି ନ ଥିଲେ । କାଶ୍ମୀରର ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥିବା ନିର୍ଦ୍ଦୋଷ ଲୋକଙ୍କୁ ସେମାନଙ୍କ ପ୍ରିୟଜନଙ୍କ ସାମ୍ନାରେ ଟାର୍ଗେଟ କରାଗଲା । ଏଥିରେ ମୁଁ ଗଭୀର ମର୍ମାହତ ।’ ସେହିପରି ଅକ୍ଷୟ କୁମାର, ଅଜୟ ଦେବଗନ, ଅଲ୍ଲୁ ଅର୍ଜୁନ, ରାମ ଚରଣ, କରିନା କପୁର, କ୍ୟାଟ୍ରିନା କୈଫ୍, ଅନୁଷ୍କା ଶର୍ମା, ରିତିକ ରୋଶନ, ମନୋଜ ବାଜପେୟୀ, ଫରହାନ୍ ଅଖ୍ତର, ସନି ଦେଓଲ, ସିଦ୍ଧାର୍ଥ ମାଲହୋତ୍ରାଙ୍କ ସମେତ ବହୁସଂଖ୍ୟାରେ କଳାକାର, ଟିଭି ତାରକା, ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ପହଲଗାମ କାଣ୍ଡକୁ ନିନ୍ଦା କରିବା ସହ ଶୋକ ପ୍ରକାଶ କରିଛନ୍ତି ।